Unknown

 

 

 

 

 

 

 

 

 

 

କେଳି କଳ୍ପଦ୍ରୁମ ଚଉତିଶା

ଧନଞ୍ଜୟ ଭଞ୍ଜ

 

କଞ୍ଜ ଲୋଚନ ଦୂତିକା ଆଗର

କ୍ରୋଧଭର ହୋଇ ବୋଲେ ଉତ୍ତର

କଳାକରମୁଖୀ ଆଗରେ କହ

କି କାର୍ଯ୍ୟେମୋର ଛାଡ଼ିଲା ସେନେହ

କେଳି କଳ୍ପଦ୍ରୁମ !

କନ୍ଦର୍ପ କଳାରେ ସେହି ଉତ୍ତମ ।।୧।।

 

ଖଟ୍ୱାଙ୍ଗଧର ଅରି ତୀଖ ଶର

ଖିନ୍ନ କରିଛି ଯେ ମୋର ଶରୀର

ଖତରାନନୀ ମୋରେ ଦୟାକରୁ

ଖଳ ମୀନ କେତୁ ମୁଖୁ ଉଦ୍ଧାରୁ

ଖଟିଥିବି ପାଶ

ଖୀନ ଉଦରୀକି କହ ସନ୍ଦେଶ ।।୨।।

 

ଗଜଗମନୀ ସେ ବିପୁଳସ୍ତନୀ

ଗତସ୍ନେହ କି ନ ଚିନ୍ତେ କାମିନୀ

ଗାଢ଼େ ଭୁଜେ ଭିଡ଼ି ବୋଲିଛି ଯାହା

ଗୋରୀ ସୁମୁଖୀ ପାସୋରିଲା ତାହା

ଗୁଣୁଥାଇ ମୁହିଁ,

ଗଳାରହାର ମୋ ପ୍ରାଣସହୀ ।।୩।।

 

ଘଟଣମୁଖୀର ଜଘନ ଦୁଇ

ଘେନି ମନ୍ତ୍ରକରି ତାହା ଜପଇ

ଘଟଣା ଦେବାକୁ ଆଉ ନ ଦିଶି

ଘେନି କହିଛି ସେହି ଶୁଭ୍ରକେଶୀ ।

ଘନସାର ରସ

ଘନସ୍ତନୀର ବିହୀନେ ବିରସ ।।୪।।

 

ନବ ଜଳଧର ଆଗେ ଚାତକ

ନ କରେ ଆନ ବାଞ୍ଛା ଯେହୁ ଲୋକ

ନବ କାମିନୀ ବିନୁମୋର ମନ

ନ କରେ ଆନ ରସରେ ଆପ୍ୟାନ

ନିଷ୍ଠୁର ନ କରି

ନତନୁ ଭୟରୁ ବାରେ ଉଦ୍ଧରି ।।୫।।

 

ଚତୁରୀମଣି ଚନ୍ଦ୍ରମା ଆନନୀ

ଚମ୍ପକଗାତ୍ରୀ ମୋ ହୃଦ ମଣ୍ଡନୀ

ଚାହିଁ କଟାକ୍ଷେ ଯାହା କହିଅଛି

ଚଞ୍ଚଳ ଚିତ୍ତ ମୋ ବନ୍ଦୀ କରିଛି

 

 

ଗୁରୁ ପକ୍ଷଳାକ୍ଷା

ଚତୁରୀ ବିନୁ କେ କରିବ ରକ୍ଷା ।।୬।।

 

ଛିତିମଣ୍ଡନୀ ଦିନେ ମନ୍ଦ ହସି

ଛନ୍ଦିଲା ମୋର କଣ୍ଠେ ବାହୁ ଫାଶୀ

ଛିର ସିନ୍ଧୁ ସୂତା ରୂପେ ସମାନ

ଛୋଉ ଛଡ଼ାଇ କହିବି ଏମାନ

ଛାଡ଼ିଛି ସେ ସ୍ନେହ

ଛିନ୍ନାଳୀମଣି ଆଗେ ଏହା କହ ।।୭।।

 

ଭାବାର୍ଥ - (୧) କଞ୍ଜ-ପଦ୍ମ, କଳାକର-ଚନ୍ଦ୍ର, (୨) ଖଟ୍ୱାଙ୍ଗଧରଅରି-କନ୍ଦର୍ପ, ମାନକେତୁ-କନ୍ଦର୍ପ ହାତରୁ, (୫) ନତନୁ – କାମଦେବ ।

 

ଭାବାର୍ଥ - (୧-୭) ଶ୍ରୀକୃଷ୍ଣ ଦିନେ କ୍ରୋଧଭର ହୋଇ ଦୂତୀକା ଆଗରେ କହିଲେ- ଚନ୍ଦ୍ରମୁଖୀ ରାଧା ଆଗରେ ଯାଇ ପଚାରିବୁ, କେଉଁ କାରଣରୁ ସେ ମୋ ଠାରୁ ସ୍ନେହ ଛାଡି ଦେଲା ? କନ୍ଦର୍ପ କଳାରେ ସେ ଉତ୍ତମ । କନ୍ଦର୍ପର ଶରାଘାତରେ ମୋ ଶରୀର କ୍ଷୀଣ ହୋଇ ପଡ଼ିଛି । ସେ ପଙ୍କଜମୁଖୀ ମୋତେ ଦୟା କରୁ । ଦୁଷ୍ଟ ମଦନ ଦାଉର ଉଦ୍ଧାର କରୁ । ସେଇ କ୍ଷୀଣୋଦରୀକୁ କହ, ମୋତେ ଦୟା କଲେ ସର୍ବଦା ତା’ ପାଶରେ ଖଟିବି । ସେ ଗଜଗମନୀ, ବିପୁଳସ୍ତନୀ ବିଗତ ଦିନର ପ୍ରୀତି ଭାବକୁ କ’ଣ ମନେ ପକାଉନାହିଁ ? ମୋତେ ଗାଢ଼ ଭାବରେ ଭୁଜରେ ଭିଡ଼ି ଯାହା ସ୍ନେହରେ କହିଛି,ସେ ସବୁକୁ ସୁମୁଖୀ କ’ଣ ପାସୋରି ଦେଲା ? ମୋ ଗଳାର ହାର, ପ୍ରାଣସହୀର କଥାକୁ ମୁଁ ବାରମ୍ବାର ଝୁରୁଛି । ଶୁଭ୍ରକେଶୀର ଦୁଇ ଜଙ୍ଘ ଶୋଭାକୁ ମନ୍ତ୍ର କରି ଜପୁଛି । ତା’ ବିନା ମୋତେ ଅନ୍ୟ କିଛି ଭଲ ଲାଗୁନାହିଁ । କର୍ପୂର, ଚନ୍ଦନ ଭଳି ଶୀତଳ ପଦାର୍ଥ ତା’ ବିନା ବିରସ ଲାଗୁଛି ।

 

ନୂଆ ମେଘର ଜଳରାଶି ପାଇବାକୁ ଚାତକ ପକ୍ଷୀ ଚାହିଁ ବସିଥାଏ । ତା’ ବିନା ଅନ୍ୟ କୌଣସି ଜଳ ସେ ଆଶା କରେ ନାହିଁ । ଠିକ୍ ସେହିଭଳି ସେ ନବକାମିନୀ ଛଡ଼ା ଅନ୍ୟ ରସରେ ମୁଁ ଇଛା କରିବି ନାହିଁ । ରେ ଦୂତି, ତାକୁ କହ, ମୋ ପ୍ରତି ନିଷ୍ଠୁର ନ ହେଉ । କନ୍ଦର୍ପ ଭୟରୁ ମୋତେ ରକ୍ଷା କରୁ । ସେ ଚତୁରୀ ମଣି, ଚନ୍ଦ୍ରମାନନୀ, ଚମ୍ପକଗାତ୍ରୀ ମୋ ହୃଦ ମଣ୍ଡନୀ । ସେ ମୋତେ କଟାକ୍ଷରେ ଚାହିଁ ଯାହା କହିଛି, ସେ ସବୁକୁ ମୋ ଚଞ୍ଚଳ ଚିର ମନେ ରଖିଛି । ମୋ ଚାରୁପକ୍ଷ୍ମାଳକ୍ଷା ଚତୁରୀ ବିନା ମୋତେ ଏ ବିରହ ଯନ୍ତ୍ରଣାରୁ କିଏ ରକ୍ଷା କରିପାରିବ ? ଦିନେ ମୋ ପ୍ରିୟା ମନ୍ଦ ମନ୍ଦ ହସି ତା’ ବାହୁକୁ ମୋ କଣ୍ଠରେ ଛନ୍ଦିଲା । ଏବେ ସେଇ ସ୍ନେହକୁ ଛାଡ଼ି ଦେଇଛି । ଏ ସବୁ କଥା ତା’ ଆଗରେ ପ୍ରକାଶ କର ।

 

ଯୁବା ଯୁବତୀଗଣ ଶିରାମଣି

ଜଳଜନେତ୍ରୀ ଯୋଗୀନ୍ଦ୍ର ମୋହିନୀ

ଯାଇ ଜଣାଅ ତାହାର ସମୀପ

ଜ୍ୱାଳାକଲା ଅଙ୍ଗେ କୁସୁମଚାପ

ଜାଣୁ ମଣି ଜାଣୁ

ଜଗମୋହିନୀ ଏହା ପରିମାଣୁ ।।୮।।

 

 

 

ଝଳିଆନନୀ ବେନି ପୀନସ୍ତନ

ଝୀନବାସ ଫୁଟିଦିଶେ ଶୋଭନ

ଝାଡ଼ରାଜ କଟି ମଧ୍ୟରେ କାନ୍ତି

ଝଟକ ଚଞ୍ଚଳା ପ୍ରାୟେ ଦିଶନ୍ତି

ଝଗଡ଼ କରଇ

ଝଟକଦନ୍ତୀ ମୋତେ କରୁ ତ୍ରାହି ।।୯।।

 

ନବନାୟିକା ନୟନୁ ନ ଯାଇ

ନିରାଶ ଏତେ କଲା ପ୍ରାଣସହୀ

ନେତ୍ର ପ୍ରତିମା ଅଟଇ ମୋହର

ନିମିଷେ ମନୁ ନୋହଇ ବାହାର

ନାଗରୀ ରତନ

ନବକେତକୀ ସେ ଶିରଭୂଷଣ ।।୧୦।।

 

ଟମାଳ କରି ସେ ଯାହା ବୋଇଲା

ଟୀକାକେ ଏବେ ତାହା ପାସୋରିଲା

ଟେକ କୁଚେ ତାର ଦେଲି ମୁଁ କର

ଟାଙ୍କୋରିଲା ରୋମ ଶରୀର ତାର

ଟାଣ କଟାକ୍ଷୀକି

ଟେକି ପଚାର ଏ ଅଟଇ ଟିକି ।।୧୧।।

 

ଠକକଥା ମୋ ଆଗରେ କହିଛି

ଠକ ପ୍ରାୟେକ କରିଛି ମୃଗାଛି

ଠାକୁରାଣୀ ପଣ ଜାଣିମା ତାର

ଠିକେ କହୁ କିସ ଦୋଷ ମୋହରର

ଠଣମୁଖୀ ଆଗେ

ଠିକେ ମଣାଇ କହ ସଖୀ ବେଗେ ।।୧୨।।

 

ଡାଳିମ୍ବ ବୀଜ ଦଶନୀ କୋପକୁ

ଡରିଅଛି ବାରେ ରଖୁ ଦାସକୁ

ଡୋଳେ ଚାହିଁଣ ଯାହା କହିଅଛି

ଡିଙ୍ଗର କାମ ଆଗରେ ଦେଉଛି

ଡୋଳା ପିଛୁଳୀକି

ଡାକି କହିବୁ ଏହା କରିଟିକି ।।୧୩।।

 

ଢମାଳି କରି ସେ ଯାହା ବୋଇଲା

ଢାଳି ଚାହାଁଣିରେ ମନ ମୋହିଲା

ଢଳିପଡ଼ିଲା ମୀନକେତୁ ଶରେ

ଢାଳି ଚୁମ୍ବନ ଦେଲା ମୋ ଗଣ୍ଡରେ

 

 

ଢାଳେ ପାସୋରିଲା

ଢଗପସରା ପ୍ରାୟେ ପ୍ରିୟା କଲା ।।୧୪।।

 

ଏବେ ନିଶ୍ଚେ ତୋତେ କହୁଛି ସହୀ!

ଏଣୀ ନୟନୀ ବିନୁ ସାହା କାହିଁ,

ଏଣାଙ୍କମୁଖୀ ଏହା ଜାରିଥାଉ

ଅଣକାର୍ଯ୍ୟେ ଜୀବନକୁ ନନେଉ

ଅଣ ଅପରାଧୀ

ଅନଙ୍ଗ ରାୟେର ହୋଇଲା ବାଦୀ ।।୧୫।।

 

ଭାବାର୍ଥ - (୮-୧୫) ରେ ଦୂତି, ପ୍ରିୟାମୋର ଯୁବାଯୁବତୀଗଣଙ୍କ ଶିରୋମଣି । ସେ ପୁଣି ପଦ୍ମନେତ୍ରୀ, ଯୋଗୀନ୍ଦ୍ରମୋହିନୀ, ତୁ ତାଙ୍କ ପାଖକୁ ଯାଇ ମୋ ଦୁଃଖ ଜଣାଅ । ଶରୀରକୁ କନ୍ଦର୍ପର ଫୁଲଶର ଯନ୍ତ୍ରଣା ଦେଉଛି । ଜଗମୋହିନୀ ଏହା ଜାଣୁ । ଚନ୍ଦ୍ରାନନୀର ଦୁଇ ପୀନସ୍ତନ ଝୀନବାସ ଫୁଟି ବାହାରକୁ ଶୋଭା ପ୍ରକାଶୁଛି । ତା’ର ସିଂହକଟିର ଶୋଭା ବିଜୁଳିର ଝଟକ ପ୍ରାୟ ଦେଖାଯାଉଛି । ବିନତି କରୁଛି, ଝଟକ ଦଣ୍ଡୀ ମୋର ପ୍ରିୟା ମୋତେ ତ୍ରାହି କରୁ । ପ୍ରିୟା ମୋର ନବନାୟିକା, ମୋତେ ନିରାଶ କରୁଛି । ସେ ମୋର ନେତ୍ର ପ୍ରତିମା । ନାଗରୀ ରତନ ସେ, ନିମିଷକ ପାଇଁ ମଧ୍ୟ ମନରୁ ବାହାରି ଯାଉନାହିଁ । ନବକେତକୀ, ଶିରଭୂଷଣ ସିଏ । ତାକୁ ମୋତେ ନେଇ ଯିଏ ଯାହା ପରିହାସ କଲା, ତାକୁ ଗୁରୁତ୍ବ ନ ଦେଇ ପାସୋରିଦେଲା, ତା’ର ଉନ୍ନତ ବକ୍ଷୋଜ ଉପରେ ଯେତେବେଳେ ମୁଁ ହାତ ଦେଲି, ସେତେବେଳେ ତା’ର ରୋମ ସବୁ ଟାଙ୍କୁରି ଉଠିଲା । ଏହା ସତ ନା ମିଛ ତାକୁ ଥରେ ପଚାର ।

 

ସେ ମୋ ଆଗରେ ଠକ କଥା କହିଛି । ଠକ ପରି ଆଚରଣ କରିଛି । ଠାକୁରାଣୀ ପଣ ତା’ରି ପାଖରେ ଅଛି । ସେ ଠିକ୍ କଥା କହୁ ଯେ, ମୋର ଦୋଷ କ’ଣ ? ଚନ୍ଦ୍ରମୁଖୀ ଆଗରେ ଏ ସବୁକଥା ଠିକ୍ ଭାବରେ ଶୀଘ୍ର କହିବୁ । ଡାଳିମ୍ବ ବୀଜ ଦଶନୀର କୋପକୁ ମୋର ଭାରି ଭୟ, ତାକୁ କହିବୁ, ଏ ଦାସକୁ ରକ୍ଷା କରିବ । ମୋତେ ଯାହା କହୁଛ, ତାକୁ ଦାସ (ଡିଙ୍ଗର) ଭାବରେ ମୁଁ କରୁଛି-। ରେ ଦୂତ, ମୋର ସହୀ ଡୋଳା ପିତୁଳକୁ ଡାକି କହିବୁ, ଏହା କରିଛି ନା ନାହିଁ ? ହାସ ପରିହାସ କରି, ଢଗ ମେଲି ଯିଏ ଯାହା କହିଲା, - ଓଲଟି ଢାଳି ଚାହାଁଣିରେ ତା’ର ମନକୁ ମୋହିତ କଲା । କନ୍ଦର୍ପର ଶରୀରେ ସେ ଜଳି ପଡ଼ିଲା । ମୋ ଗାଲରେ ଗାଢ଼ ଚୁମ୍ବନଟିଏ ଦେଲା । ଢଗ ପସରା ପ୍ରାୟ ପ୍ରିୟା ମୋର କରି ସବୁ ପାସୋରିଦେଲା । ରେ ସହ, ଏବେ ତୋତେ କହୁଛି, ହରିଣୀ ନୟନୀ ବିନା ମୋର କେହି ସାହା ନାହିଁ । ଏହା ନିଶ୍ଚିତ । ସେ ମୃଗନୟନୀ ମଧ୍ୟ ଏହା ଜାଣିଥାଉ । ବିନା କାରଣରେ କାହାର ଜୀବନକୁ ନ ନେଉ । ବିନା ଅପରାଧରେ ମୁଁ କନ୍ଦର୍ପର ବାଦୀ ହୋଇଛି ।

 

ତରୁଣୀ ରତନ ମୋ ପ୍ରାଣ ମଣି

ତ୍ରୈଲୋକ୍ୟ ମୋହିନୀ ହେମ ବରନୀ

ତନୁ ଛୁଆଇଁ କହିଛି ନିୟତ

ତୁମ୍ଭ ମନରେ ଥିବି ପ୍ରାଣନାଥ

ତା ହୃଦେ ଧରିଛି

ତୁରିତେ ତୋ ବିସୋରିଲା ମୃଗାଛି ।।୧୬।।

 

 

 

ଥିରିଗାମିନୀର ନିତମ୍ବ ଦୁଇ

ଥାଣୁ ଅଇରି ସିଂହାସନ ସେହି

ଥିଲା ତହିଁ ପରେ ଚୀର ବସନ

ଥେଣ୍ଟ ମଦନର ଜୟ କେତନ।

ଥିବି ତାର ପାଶ

ଥାନ ଦେଇ ରଖୁ ମୁଁ ତାର ଦାସ ।।୧୭।।

 

ଦୟା ଉଦଧି ମୋ ଦମ୍ଭ ନାଶିନୀ

ଦାସର ଦୋଷ କି ଘେନଇ ପୁଣି

ଦଶନେ ଅଧର ଚାପି ମୋହର

ଦରିଦ୍ର ବିଧି କହିଛି ଉତ୍ତର

ଦୋଷ ମୋ ନଧରୁ

ଦିନନାଥବନ୍ଧୁ- ମୁଖୀ ଉଦ୍ଧରୁ ।।୧୮।।

 

ଧୀର ଗାମିନୀ ଅଗ୍ରତରେ ଯାଇ

ଧୀରେ କହିବୁ ବଚନ ମଣାଇ

ଧରିଛି କୁମସୁମ-କାର୍ମୂକ ମାର

ଧଇର୍ଯ୍ୟ ମୋର ନାଶିବ ପାମର

ଧନମଣି ପାଦ

ଧରିଛି ଶିରେ କରି ପରସାଦ ।।୧୯।।

 

ନିରାଶ ମୋରେ କଲା ପ୍ରାଣସହୀ

ନିର୍ଦ୍ଦୟା ହୃଦଛାଡ଼ୁ ଚନ୍ଦ୍ରମୁହୀଁ

ନାକ ନାଗ ନାରୀ ନୋହନ୍ତି ସମ

ନାରୀ-ଶିରୋମଣି ମୋ ଜୀବ ଧାମ

କାହିଁ ସମ ସରି

ନିରାଶ କିଁପା କରିଛି ଚତୁରୀ ।।୨୦।।

 

ପଲ୍ଲବ ପ୍ରୀତି ଯେତେ କରିଥିଲା

ପରମ ବନ୍ଧୁ ତାହା ପାସୋରିଲା

ପିକବଚନିକି କହିଛି ମୁହିଁ

ପ୍ରସନ୍ନ ବଦନେ ଚୁମ୍ବନ ଦେଇ

ପିଶୁନ ମଦନ

ପଞ୍ଚଶର ଘେନି କରେ ଦହନ ।।୨୧।।

 

ଫାଇ ଶେଷ କଁପା ଯୁବତୀ କଲା

ଫୁରୁଣା ଯେତେ ମୋ ସବୁ ଭାଙ୍ଗିଲା

ଫଳେତ ଜାଣିଲି ତାର ପୀରତି

ଫେଡ଼ି କହିଲି ତୋହୋର ଉକତି

 

 

ଫେଡ଼ୁ ମନୁ ତାପ

ଫାନ୍ଦେ ପକାଇଛି ମଦନ ଭୂପ ।।୨୨।।

 

ବସନ୍ତକାଳରେ ସନ୍ଧ୍ୟାବେଳରେ

ବସିଥିଲା ବନ୍ଧୁମୋର କୋଳରେ

ବୋଲିଛି ପ୍ରିୟା ମୋତେ ହସି ଯାହା

ବିଅର୍ଥ କିପାଇଁ କଲାକ ତାହା

ବିଧୁବଦନୀ କି

ବୋଲିବୁ ଏକଥା ଉଚିତ ଟିକି ।।୨୩।।

 

ଭାବାର୍ଥ- (୧୬-୨୩) ତରୁଣୀ ରତ୍ନ ମୋ ପ୍ରାଣମଣି ତ୍ରୈଲୋକ୍ୟ ମୋହିନୀ, ହେମ ବରନୀ ମୋ ପ୍ରିୟା । ଶରୀର ଛୁଆଁଇ ଶପଥ କରିଥିଲା, ହେ ପ୍ରାଣନାଥ, ମୁଁ ତୁମ ହୃଦୟରେ ଥିବି । ଏହାକୁ କିନ୍ତୁ ସଙ୍ଗେ ସଙ୍ଗେ ପାସୋରି ଦେଲା, ସ୍ଥିରଗାମିନୀ ସେ । ତା ର ଦୁଇ ନିତମ୍ବ ଥାଣୁ (ଶିବ)ଙ୍କ ଶତ୍ରୁ ଅର୍ଥାତ କନ୍ଦର୍ପର ସିଂହାସନ । ତା’ ଉପରେ ଥିବା ଚୀରବସନ ମଦନର ଜୟ ପତାକା-। ରେ ଦୂତି, ମୁଁ ସର୍ବଦା ତା’ର ଦାସ ହୋଇ ରହିବି, ସ୍ଥାନ ଦେଇ ରଖୁ । ଦୟାର ସାଗର ସେ, ଗର୍ବନାଶିନୀ, ଦାସର ଦୋଷକୁ କଣ କିଏ ଧରେ ? ଦାନ୍ତରେ ମୋର ଅଧରକୁ ଚାପି ସବୁ ଉତ୍ତର ଦେଇଛି । ସେ ଚନ୍ଦ୍ରମୁଖୀ ମୋ ଦୋଷ ନ ଧରୁ । ରେ ଦୂତି, ଧୀରଗାମିନୀର ପାଖକୁ ଯାଇ ଧୀର ଭାବରେ ତାକୁ ମନାଇ କହିବୁ । କଦର୍ପ ହାତରେ ଫୁଲଶର ଧରିଛି । ସେ ପାମର ମୋର ଧୈର୍ଯ୍ୟକୁ ନାଶ କରିଦେବ । ତା’ ପାଖରୁ ମୁକ୍ତି ପାଇଁ ସେଥିପାଇଁ ଧନମଣିର ପାଦକୁ ମଥା ଉପରେ ପ୍ରସାଦ ସ୍ୱରୂପ ଧରିଛି । ପ୍ରାଣସହୀ ମୋତେ ନିରାଶ କଲା । ରେ ଦୂତି, ଚନ୍ଦ୍ରମୁହୀଁ ହୃଦୟରୁ ନିର୍ଦ୍ଦୟ ଭାବ ଛାଡୁ । ସ୍ଵର୍ଗ (ନାକ) ନାଗ ଓ ନାରୀ ସମାନ ନୁହଁନ୍ତି । ନାରୀ-ଶିରୋମଣି ମୋତେ କାହିଁକି ନିରାଶ କରିଛି ?

 

ରେ ଦୂତି, ସେ ପ୍ରଥମେ ଯେଉଁ ପ୍ରୀତି କରିଥିଲା ମୋ ପରମବନ୍ଧୁ ହୋଇ ତାକୁ ଏବେ ପାସୋରି ଦେଲା କିପରି ? ପିକବଚନୀର ପ୍ରସନ୍ନ ମୁଖରେ ଚୁମ୍ବନ ଦେଇ ମୁଁ କହିଛି ଯେ, ପାଷାଣ୍ଡ କନ୍ଦର୍ପର ପଞ୍ଚଶର ମୋତେ ଦହୁଛି । ପ୍ରିୟାକୁ ନେଇ ଯେତେ ସବୁ ମନରେ ଆଶା ଥିଲା, ତାହା ଭାଙ୍ଗିଗଲା । ତା’ର ପ୍ରୀତିଭାବ ଏବେ ଜାଣିଲି । ସେ ମନର କୋପଭାବ ଛାଡୁ, କନ୍ଦର୍ପ ତା’ର ଫାନ୍ଦ ପକାଇଛି । ଦିନେ ବସନ୍ତ କାଳରେ ସନ୍ଧ୍ୟା ବେଳରେ ସେ ମୋ କୋଳରେ ବସିଥିଲା । ମୋତେ ହସି କରି ଯାହା କହିଲା, ତାକୁ ବିଅର୍ଥ କାହିଁକି କଲା ? ଏହା ଉଚିତ କି ? ସେଇ ଚନ୍ଦ୍ରବଦନୀକୁ ପଚାରିବୁ ।

 

ଭରସା ମୁହିଁ ବଡ଼ କରିଥିଲି

ଭାବିନୀ କୁଚଶମ୍ଭୁ ପ୍ରାୟେ ବୋଲି

ଭଜିଲା ଜନକୁ କଲା ନିରାଶ

ଭୃତ୍ୟଜନେ କି ପ୍ରଭୁ କରେ ଦୋଷ

ଭାସିଲି ସାଗରେ

ଭେଳା ଉରଜେ ତୁମ୍ଭ ଦେଉ ମୋରେ ।।୨୪।।

 

 

 

 

ମୋହୋରେ ମାନ କରିଛି କିପାଇଁ

ମୋତେ କୋକିଳ କରିଛି କିପାଇଁ

ମୋତେ କୋକିଳ ବଚନ ନ କହି

ମନ୍ଦ ହସିଣ ଯେବେ ସେ କହିବ

ମଦନରାୟେ ଦୁଖୁ ଉଦ୍ଧରିବ

ମଦିରାକ୍ଷୀ ମୋର

ମାଣିକମାଳା ସେ କଣ୍ଠ ତଟର ।।୨୫।।

 

ଯେବେ ଦୋଷ ମୁହିଁ କଲି ତାହାରେ

ଜାଣୁ ମଣି ଦଣ୍ଡ ହେଉ ମୋହୋରେ

ଜଗତେ ଏ କଥା ରହିଣ ଥାଉ

ଜଳଜାକ୍ଷି ଲାଗି ଜୀବନ ଯାଉ

ଯେବେ ନ ବୁଝିବ

ଯେତେ କହିଲେ ସେ କିସ ହୋଇବ ।।୨୬।।

 

ରମଣୀମଣି ରତିରସ ଦେଇ

ରଖୁ ପ୍ରେମଦାନ ଦେଇଣ ସହୀ

ରଖିବ ଯେବେ ସେହି ସେ ରଖିବ

ରଖନ୍ତା ତା ବିନୁ ଆନ ନୋହିବ

 

 

ରସିକିନୀ ମୋର

ରସକଳା ରାମା ଗୁଣ ଗମ୍ଭୀର ।।୨୭।।

 

ଲହୁଲୀ ବୟସ ଦିନୁ ତାହାର

ଲିତାଏ ପାଶୁଁ ନୋହଇ ଅନ୍ତର

ଲାବଣ୍ୟନିଧି ଲଳିତ ବଚନୀ

ଲେଖିଥିଲା ପତ୍ର ଅନୁରାଗିନୀ

ଲବଙ୍ଗିକା ଆଗେ

ଲଳନାକର କହିଲା ସରାଗେ ।।୨୮।।

 

ବିଳମ୍ବ ନକରି ଚଳ ବହନ

ବନଜବଦନୀ ମୋ ପ୍ରାଣଧନ

ବିଧାତା ବଶୁଁ ଏମନ୍ତ ହୋଇଲା

ବେଳକୁ ବେଳ ସେ ନିରାଶ କଲା

ବିନୟ ହେଉଛି

ବାରେ ଦୟା ମୋତେ କରୁ ମୃଗାଛି ।।୨୯।।

 

ଭାବାର୍ଥ- (୨୪-୨୯) ଲୋ ଦୂତି, ଭାବିନୀ ମୋର କୁଚଶମ୍ଭ ପ୍ରାୟ ବୋଲି ଭାବିଥିଲି । ଭରସା ବି ଥିଲା । ଦେଖିଲା ବେଳକୁ ତାହା ନିରାଶ କଲା । ଭୃତ୍ୟ କ’ଣ କେବେ ପ୍ରଭୁଠାରେ ଦୋଷ କରିଥାଏ ? ମୁଁ ଅଥଳ ସାଗରରେ ଭାସୁଛି, ସେ ମୋତେ ତା' ର ଉରଜ (ବକ୍ଷୋଜ) ଭେଳା ଦେଇ ଉଦ୍ଧାର କରୁ । ମୁଁ ବୁଝିପାରୁନି, ସେ ମୋ ଉପରେ ମାନ କାହିଁକି କରିଛି ? ମୋତେ କୋକିଳ ବଚନରେ ନ କହି ମନ୍ଦ ମନ୍ଦ ହସି ଯେବେ କହିବ, କନ୍ଦର୍ପ ଏ ବିରହ ଦୁଃଖରୁ ଉଦ୍ଧାର କରିବ । ପ୍ରିୟା ମୋର ମଦିରାକ୍ଷୀ, ମୋ କଣ୍ଠର ମାଣିକମାଳା । ଯେବେ ମୁଁ ତା' ପାଖରେ କିଛି ଦୋଷ କରିଛି, ସେ ମୋତେ ଦଣ୍ଡ ଦେଉ । ଜଗତରେ ଏ କଥା ରହିଥାଉ । ପଦ୍ମମୁଖୀ ପାଇଁ ମୋ ଜୀନବ ଯାଉ । ଏ କଥା ସେ ଯେବେ ନ ବୁଝିବ ମୁଁ କ’ଣ କରିବି ? ତାକୁ ଯେତେ କହିଲେ କ’ଣ ହେବ ? ରମଣୀମଣି ରତିରସ ଦେଇ ମୋତେ ରଖୁ । ରେ ସହି, ରଖୁବ ଯଦି ସେ ରଖୁବ । ତା’ ବିନା ଆଉ କେହି ରଖି ପାରିବ ନାହିଁ । ରସକିନୀ ମୋର, ରସକଳା ରାମା, ତା’ ଗୁଣ ଗମ୍ଭୀର । ତା’ର ନହୁଲୀ ବୟସ ଦିନରୁ ଘଡ଼ିଏ ପାଇଁ ମଧ୍ୟ ମୁଁ ତା’ ପାଖରୁ ଅନ୍ତର ହୋଇନାହିଁ । ଲାବଣ୍ୟନିଧ ମୋର, ଲଳିତ ବଚନୀ ମୋ ପାଖକୁ ଯେଉଁ ପତ୍ର ଲେଖିଥିଲା ତାହା ଅନୁରାଗରେ ପୂର୍ଣ୍ଣ ଥିଲା । ମୋ ଦୂତି, ବିଳମ୍ବ ନ କରି ଶୀଘ୍ର ଯାଅ । ଲୋ ପଦ୍ମମୁଖି, ମୋ ପ୍ରାଣ ଧନ, ଦଇବବଶରୁ ଏମିତି ହୋଇଛି । ବେଳକୁ ବେଳ ସେ ନିରାଶ କଲାଣି । ବିନୟର ସହିତ କହୁଛି, ତାକୁ କହ, ମୋତେ ସେ ଦୟା କରିବ ।

 

ସଘନ ହୋଇ ଘନ ପରବେଶ

ସରୋଜନେତ୍ରୀ ଦେଖିଣ ବିରସ

ଶମ୍ବରାରି-ଶର ଭୟରୁ କରି

ସରାଗେ କୋଳେ ବସିଲା ସୁନ୍ଦରୀ

ଶୀତଳ ବଚନ

ସେକଥା ରମଣୀ ନ ଭାବେ ମନ ।।୩୦।।

 

 

ଶ୍ୟାମସୁନ୍ଦରର ସନ୍ଦେଶ ପାଇ

ଶୀଘ୍ରେ ଦୂତୀ ସଖୀ ପାଶେ ମିଳଇ

ସରୋଜପତ୍ର କୁଟୀର ମଧ୍ୟରେ

ସ୍ମିତହାସିନୀ ବସିଛି କ୍ରାଧରେ

ସହଚରୀ ଯାଇ

ସରୋଜନେତ୍ର ବାରତା କହଇ ।।୩୧।।

 

ଶମ୍ବରାରି ତାତ ତୋତେ ବରହୀ

ଶୀର୍ଣ୍ଣ ତା ଅଙ୍ଗ ହେଲା ପ୍ରାଣସହୀ

ଶଶୀୟେକ ଲେଖା ଜାଣି ତା ଅଙ୍ଗ

ସେନେହ ଥିଲେ ଦିଅ ରତିରଙ୍ଗ

ଶଶିମୁଖୀ ହସି

ସାରଙ୍ଗଧରକୁ ଆଣ ସୁକେଶୀ ।।୩୨।।

 

ହଂସ ଗାମିନୀ ହୃଷ୍ଟବାଣୀ ଶୁଣି

ହରିଙ୍କି ବେଗେ ଆଣିଲା ତରୁଣୀ

ହିମାଂଶୁମୁଖୀ ସନ୍ନିଧେ ପ୍ରବେଶ

ହୃଦତାପ ଛାଡ଼ି ହେଲେ ହରଷ

ହରିଣାକ୍ଷୀ ହରି

ହେଲେ ରତିରଣେ ଏ ବେନି ସରି ।।୩୩।।

 

କ୍ଷକ୍ଷନ୍ଦ୍ରେ ରାଧାକୃଷ୍ଣ କଲେ ରସ

ଛାଡ଼ି ସୁରତି ସେ ହେଲେ ହରଷ

କ୍ଷୀରସିନ୍ଧୁ ଜେମାପତି ଚରଣ

ନୃପଧନଞ୍ଜୟ ପଶେ ଶରଣ

କ୍ଷମା ଦୋଷ କର

କ୍ଷନ୍ଦିଲା ଏ ରସ ଦୋଷ ନ ଧର ।।୩୪।।

 

ଭାବାର୍ଥ - (୩୦-୩୪) ଭୟଙ୍କର ରୂପ ନେଇ ମେଘ ପ୍ରବେଶ କଲା । ଏହା ଦେଖି ଚନ୍ଦ୍ରମୁଖୀ ବିରସ ହେଲା । କନ୍ଦର୍ପ ଶର ଦାଉରୁ ମୁକ୍ତି ପାଇଁ କୋଳରେ ସରାଗରେ ବସିଲା । ଶୀତଳ ବଚନ କଥା ତା’ ମନରୁ ପାସୋର ହୋଇଗଲା । ଶ୍ୟାମସୁନ୍ଦରଙ୍କ ସନ୍ଦେଶ ପାଇ ଶୀଘ୍ର ଦୂତୀ ଯାଇ ରାଧାଙ୍କ ପାଖରେ ପ୍ରବେଶ ହେଲା । ପଦ୍ମପତ୍ର କୁଟୀର ମଧ୍ୟରେ ସ୍ମିତହାସିନୀ ରାଧା ମାନରେ ବସିଥିଲେ । ଦୂତୀଯାଇ ତାଙ୍କୁ କୃଷ୍ଣଙ୍କ ଆଗମନ ବାର୍ତ୍ତା ଜଣାଇଲା ଏବଂ କହିଲା- ତୋ ବିରହରେ ତାଙ୍କ ଶରୀର ଶୀର୍ଣ୍ଣ ହୋଇଗଲାଣି । ତାଙ୍କ ପ୍ରତି ଯଦି ତୋର ସାମାନ୍ୟ ଅନୁରାଗ ଅଛି, ତେବେ ତାଙ୍କୁ ରତିରଙ୍ଗ ପ୍ରଦାନ କର । ଦୂତୀଠାରୁ ଏହା ଶୁଣି ଆନନ୍ଦିତ ହୋଇ ରାଧା କହିଲେ- ହେ ସୁକେଶୀ, ସାରଙ୍ଗଧର କୃଷ୍ଣଙ୍କୁ ଏଠାକୁ ଆଣ ।

 

 

 

 

 

ହଂସଗାମିନୀ ରାଧାଙ୍କ ମୁଖରୁ ହୃଷ୍ଟବାଣୀ ଶୁଣି ଦୂତୀ ଶ୍ରୀକୃଷ୍ଣଙ୍କୁ ଶୀଘ୍ର ନେଇ ଆସିଲା । ରାଧାଙ୍କ ନିକଟରେ ପ୍ରବେଶ କରି ଶ୍ରୀକୃଷ୍ଣ ଆନନ୍ଦିତ ହେଲେ । ତାଙ୍କ ହୃଦୟର ତାପ ଛାଡ଼ିଗଲା । ରାଧାକୃଷ୍ଣ ଦୁହେଁ ରତିରସରେ ମାତିଲେ । ରାଧାକୃଷ୍ଣଙ୍କ ପାଦ ତଳେ ରାଜକବି ଧନଞ୍ଜୟ ଶରଣ ପଶିଲେ ଓ କହିଲେ- ପ୍ରଭୁ, ମୋର ଦୋଷ କ୍ଷମା କର ।